Unknown

ତାତମାତ-ଗୀତି

ଶ୍ରୀ ବିଶ୍ୱନାଥ ବାବା

 

ଶୁଣ ସର୍ବେ ତାତ ମାତ !

 

କହୁଛି ସତ୍ୟଧର୍ମର ବୃତ୍ତାନ୍ତ,

 

ହେ ତାତ ମାତ !

 

ଯେରୂପେ ହେଲା ବିଖ୍ୟାତ

।୧।

 

 

 

 

ବିଭୁ ମହାନିତ୍ୟବାସୀ

 

ସ୍ୱଶକ୍ତିରେ ବୁଦ୍ଧ ରୂପ ପ୍ରକାଶି,

 

ହେ ତାତ ମାତ !

 

କ୍ଷିତୀ ପରେ ବିଜେ ଆସି

।୨।

 

 

 

 

ଆତ୍ମା ଯୋଗ ସମାଧିରେ

 

କୈଳାସ ଗିରି ଗୁହାର ମଧ୍ୟରେ,

 

ହେ ତାତ ମାତ !

 

ରହିଲେ ସ୍ୱାତ୍ମାଧ୍ୟାନରେ

।୩।

 

 

 

 

ବହୁ ଯୁଗ ସେହିଠାରେ

 

ବିଶ୍ରାମ କରିଲେ ବ୍ରହ୍ମାନନ୍ଦରେ,

 

ହେ ତାତ ମାତ !

 

ଜଗତ ପ୍ରାଣୀ ହିତରେ

।୪।

 

 

 

 

ତହୁଁ କେତେ ଯୁଗଅନ୍ତେ

 

ଆଜ୍ଞା ଦେଲେ ସିନ୍ଧ ସାଧୁ ଭକତେ,

 

ହେ ତାତ ମାତ !

 

ଜାତ ହୁଅ ଏ ଜଗତେ

।୫।

 

 

 

 

 

 

 

 

 

 

 

 

ଭକତଙ୍କୁ ଆଜ୍ଞା ଦେଇ

 

ଗୁପ୍ତେ ଭ୍ରମିଲେ ସପ୍ତଦ୍ୱୀପା ମହୀ,

 

ହେ ତାତ ମାତ !

 

ଅବଧୂତ ବେଶ ବହି

।୬।

 

 

 

 

ଅନାଦି ସିଦ୍ଧ ପୁରୁଷ

 

ଉତ୍କଳ ଭୂମିରେ ହେଲେ ପ୍ରବେଶ,

 

ହେ ତାତ ମାତ !

 

ଭ୍ରମିଣ ଅନେକ ଦେଶ

।୭।

 

 

 

 

ତାହାଙ୍କ ମହିମା ଜାଣି

 

ସାଧୁ ଭକ୍ତେ ନାମ ଦେଲେ ପ୍ରମାଣି,

 

ହେ ତାତ ମାତ !

 

କହୁଛି ତାହା ବଖାଣି

।୮।

 

 

 

 

ବୁଦ୍ଧ ମହିମା ଗୋସାଇଁ

 

ନାମରେ କମ୍ପିଲା ଉତ୍କଳମହୀ,

 

ହେ ତାତ ମାତ !

 

ମହିମା କେ ପାରେ କହି

।୯।

 

 

 

 

ସର୍ବ ଶାସ୍ତ୍ର ସାର ମର୍ମ

 

ସତ୍ୟ ସନାତନ ମହିମା ଧର୍ମ,

 

ହେ ତାତ ମାତ !

 

ତହିଁ ନାହିଁ କାମ୍ୟ କର୍ମ

।୧୦।

 

 

 

 

 

 

 

 

 

 

 

 

ସେହି ପ୍ରଭୁ କଲେ ଖ୍ୟାତ

 

ଏହି ସତ୍ୟଧର୍ମ ନାମ ଉଦିତ,

 

ହେ ତାତ ମାତ !

 

ଆମ୍ଭ ମଙ୍ଗଳ ନିମିତ୍ତ

।୧୧।

 

 

 

 

ଆସ ସର୍ବେ ଏକମନେ

 

ଭଜିବା ପ୍ରଭୁଙ୍କ ଆଜ୍ଞା ବିଧାନେ,

 

ହେ ତାତ ମାତ !

 

ଅଲେଖ ବ୍ରହ୍ମ ନିର୍ଗୁଣ

।୧୨।

 

 

 

 

ଗୁରୁ ଆଜ୍ଞା ଶିରେ ଧରି

 

ଶ୍ରୁତିବାକ୍ୟ ଅନୁଭବେ ବିଚାରି,

 

ହେ ତାତ ମାତ !

 

ନିଷ୍କାମ କର୍ମ ଆଚରି

।୧୩।

 

 

 

 

ହିଂସାଦି କୁକ୍ରିୟାମାନ

 

କାମ କ୍ରୋଧ ଲୋଭେ ନ ହୋଅଇ ମଗ୍ନ,

ହେ ତାତ ମାତ !

 

ଅହିଂସା କର ପାଳନ

।୧୪।

 

 

 

 

ମଦ ମାତ୍ସର୍ଯ୍ୟ ମୋହକୁ

 

ମନୁ ତେଜ ସର୍ବ ରିପୁଗଣକୁ,

 

ହେ ତାତ ମାତ !

 

ରଜ ତାମସ ଗୁଣକୁ

।୧୫।

 

 

 

 

 

 

 

 

 

 

 

 

ସତ୍ୟରେ ହୁଅ ଆସକ୍ତି

 

ଅସତ ସଙ୍ଗରେ ନ କର ପ୍ରୀତି,

 

ହେ ତାତ ମାତ !

 

ନିଶ୍ଚେ ମିଳିବ ସୁଗତି

।୧୬।

 

 

 

 

ଚୌର୍ଯ୍ୟ ମିଥ୍ୟାଦି ଭାବରେ

 

ନ ମଜ୍ଜିବ କେଭେ ପାପକର୍ମରେ,

 

ହେ ତାତ ମାତ !

 

ନ ଭ୍ରମି ବ୍ୟଭିଚାରରେ

।୧୭।

 

 

 

 

ଜୀବ ପ୍ରତି କର ଦୟା

 

ହୃଦଁରୁ ତେଜିଣ କୁଟିଳ ମାୟା,

 

ହେ ତାତ ମାତ !

 

ବ୍ରହ୍ମଚର୍ଯ୍ୟେ ରଖି କାୟା

।୧୮।

 

 

 

 

ଅନିତ୍ୟ ଅଟେ ସଂସାର

 

ଶରୀର ଅଟଇ କ୍ଷଣଭଙ୍ଗୁର,

 

ହେ ତାତ ମାତ !

 

ଛାଡ଼ ବୃଥା ଅହଙ୍କାର

।୧୯।

 

 

 

 

ଜାତି ବିଦ୍ୟା ଯଉବନ

 

ବିତ୍ତ ସୁତ ଗର୍ବ ଅଜ୍ଞାନ ପଣ,

 

ହେ ତାତ ମାତ !

 

ସର୍ବ ହେବ ଅକାରଣ

।୨୦।

 

 

 

 

 

 

 

 

 

 

 

 

ପୂର୍ବ ସୁକୃତର ବଳେ

 

ଜନମ ଲଭିଛି ଏ ରବିତଳେ,

 

ହେ ତାତ ମାତ !

 

ଦୁର୍ଲ୍ଲଭ ମାନବକୁଳେ

।୨୧।

 

 

 

 

ବର୍ତ୍ତମାନ ଅଛି ରହି

 

ପୂର୍ବଜନ୍ମ କାଳ ତ ଜ୍ଞାତ ନାହିଁ,

 

ହେ ତାତ ମାତ !

 

ଭବିଷ୍ୟତେ ଯିବ କାହିଁ

।୨୨।

 

 

 

 

ତ୍ରିକାଳର ଅଧୀଶ୍ୱର

 

ଅଟନ୍ତି ମହାମହିମାସାଗର,

 

ହେ ତାତ ମାତ !

 

ଚିନ୍ତ ତାହାଙ୍କ ପୟର

।୨୩।

 

 

 

 

ସିଦ୍ଧ ସାଧୁ ଜନ ସଙ୍ଗ

 

ସଙ୍ଗକର ନିତ୍ୟେ ନିର୍ମଳ ଅଙ୍ଗେ,

 

ହେ ତାତ ମାତ !

 

ନ ରସି ମାୟାତରଙ୍ଗେ

।୨୪।

 

 

 

 

ଆଜ୍ଞା ମାନି ଗୁରୁଙ୍କର

 

ଉପାସନା କର ବିଭୁ ପୟର,

 

ହେ ତାତ ମାତ !

 

ଜାଗ୍ରତେ ପ୍ରତିନିତ୍ୟର

।୨୫।

 

 

 

 

 

 

 

 

 

 

 

 

ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ

 

ସୁଚେତା ହୋଇଣ ଉଠି ସତ୍ୱରେ,

 

ହେ ତାତ ମାତ !

 

ଗୋମୟ ମାର୍ଜି ଅଙ୍ଗରେ

।୨୬।

 

 

 

 

ତହୁଁ କର ଆଚମନ

 

ବିଶୁଦ୍ଧ ଜଳରେ କରି ସ୍ନାହାନ,

 

ହେ ତାତ ମାତ !

 

ତତ୍ପରେ ଯେଉଁ ବିଧାନ

।୨୭।

 

 

 

 

ପିନ୍ଧି ଗୈରିକ ବସନ

 

ପବିତ୍ର ଗୋମୟ କରିଣ ପାନ,

 

ହେ ତାତ ମାତ !

 

ଶରୀର କରି ଶୋଧନ

।୨୮।

 

 

 

 

ମନରୁ କାମନା ତେଜି

 

ନିଷ୍କାମ ଭକ୍ତିରେ ବ୍ରହ୍ମେ ନିମଜ୍ଜି,

 

ହେ ତାତ ମାତ !

 

ବିବେକ ଜ୍ଞାନ ଅରଜି

।୨୯।

 

 

 

 

ଶୌଚ ହୋଇଣ ସଧୀରେ

 

ଶରଣ ପଶିବ ବିଭୁପୟରେ,

 

ହେ ତାତ ମାତ !

 

କାୟ ମନର ବାକ୍ୟରେ

।୩୦।

 

 

 

 

 

 

 

 

 

 

 

 

ପୂର୍ବଦିଗେ ମୁଖ କରି

 

ଉଭାହୋଇ ମନେ ବ୍ରହ୍ମ ସୁମରି,

 

ହେ ତାତ ମାତ !

 

ଅନ୍ୟକଳ୍ପନା ନ କରି

।୩୧।

 

 

 

 

କରପତ୍ର ଯୋଡ଼ି ଶିରେ

 

ସ୍ତୁତି ଜଣାଣ ପଢ଼ିବ ମୁଖରେ,

 

ହେ ତାତ ମାତ !

 

ଅଲେଖ ବ୍ରହ୍ମନାମରେ

।୩୨।

 

 

 

 

ହେ ଅଖିଳ ବିଶ୍ୱପତି

 

ତବପାଦେ କରୁଅଛି ବିନତି,

 

ହେ ତାତ ମାତ !

 

ସାଷ୍ଟାଙ୍ଗେ ଶରଣ ନିତି

।୩୩।

 

 

 

 

ହେ ଅଲେଖ ଅବ୍ୟକତ୍ୱ

 

ସଚ୍ଚିଦାନନ୍ଦ ସ୍ୱରୂପରେ ସ୍ଥିତ,

 

ହେ ତାତ ମାତ !

 

ରୂପରେ ନୁହ କଳ୍ପିତ

।୩୪।

 

 

 

 

ନିରାଲମ୍ୱ ନିରଞ୍ଜନ

 

ନିର୍ଗୁଣ ନିର୍ଲେପ ଯେ ସନାତନ,

 

ହେ ତାତ ମାତ !

 

ଜଗତ ଜୀବଜୀବନ

।୩୫।

 

 

 

 

 

 

 

 

 

 

 

 

ତ୍ରୟ ଉପାଧିରୁ ଶୂନ୍ୟ

 

ତୁରୀୟ ବ୍ରହ୍ମ ଶୁଦ୍ଧ ଚଇତନ୍ୟ,

 

ହେ ତାତ ମାତ !

 

ଭକ୍ତର ଅଟ ବରେଣ୍ୟ

।୩୬।

 

 

 

 

ବିଭୁ ଅନାଦି ନିଧାନ

 

ଅରୂପ ଅକ୍ଷୟ ଅଖଣ୍ଡ ବ୍ରହ୍ମ,

 

ହେ ତାତ ମାତ !

 

ସର୍ବତ୍ରରେ ପରିପୂର୍ଣ୍ଣ

।୩୭।

 

 

 

 

ଅନାମ ଅଚିନ୍ତ୍ୟ ଶାନ୍ତ

 

ଅନହତ ଅବିକାରୀ ଅଦ୍ଭୁତ,

 

ହେ ତାତ ମାତ !

 

ନାହିଁ ତୁମ୍ଭ ଆଦି ଅନ୍ତ

।୩୮।

 

 

 

 

ନିତ୍ୟ ଅଜର ଅମର

 

ଆଶ୍ରିତ ଅଟ ଯେ ସର୍ବ ପ୍ରାଣୀର,

 

ହେ ତାତ ମାତ !

 

ଗୁରୁ ମହିମା ସାଗର

।୩୯।

 

 

 

 

ସକଳ ଇନ୍ଦ୍ରିୟଗଣ

 

ବିଭୁ ତେଜରେ ହୁଅନ୍ତି ବର୍ଦ୍ଧନ,

 

ହେ ତାତ ମାତ !

 

ପ୍ରଭୁର ହୁଅ ଅଧୀନ

।୪୦।

 

 

 

 

 

 

 

 

 

 

 

 

ସପ୍ତବାର ସାଷ୍ଟାଙ୍ଗରେ

 

ଶରଣ ମାଗିବ ଲୋଟି ଭୂମିରେ,

 

ହେ ତାତ ମାତ !

 

ଛନ୍ଦ ବନ୍ଧ ବିଧାନରେ

।୪୧।

 

 

 

 

ମହିମା ଅଲେଖ ବ୍ରହ୍ମ

 

ଅନ୍ତରେ ଭାବି କରିବ ବଖାଣ,

 

ହେ ତାତ ମାତ !

 

ଖଣ୍ଡିବ ତ୍ରିତାପମାନ

।୪୨।

 

 

 

 

ମାନସିକ ଶରଣରେ

 

ଅଜପା ମନ୍ତ୍ର ସୁଅନୁଭବରେ,

 

ହେ ତାତ ମାତ !

 

ଜପିବ ମନ-ସୂତ୍ରରେ

।୪୩।

 

 

 

 

ଅନହତ ଧୁନିଘରେ

 

ଶବ୍ଦ ଶୁଭୁଅଛି ନିରନ୍ତରରେ,

 

ହେ ତାତ ମାତ !

 

ଭେଦିବ ଗୁରୁ ସୂତ୍ରରେ

।୪୪।

 

 

 

 

ବ୍ରହ୍ମଙ୍କୁ କରି ଚିନ୍ତନ

 

ବ୍ରହ୍ମମନ୍ତ୍ର ଜପି ହୋଇ ମଉନ,

 

ହେ ତାତ ମାତ !

 

କରିଣ ସୁଖ ଆସନ

।୪୫।

 

 

 

 

 

 

 

 

 

 

 

 

ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତର

 

ସଂସାର ବିଷୟା କରିବ ଦୂର,

 

ହେ ତାତ ମାତ !

 

ସ୍ମରି ଶ୍ରୀଗୁରୁ ପୟର

।୪୬।

 

 

 

 

ଗୁରୁଙ୍କ ଆଜ୍ଞନୁସାରେ

 

ଦର୍ଶନ କରିବ ପ୍ରତିନିତ୍ୟରେ,

 

ହେ ତାତ ମାତ !

 

ଚିତ୍ତ ରଖି ସଂଯମରେ

।୪୭।

 

 

 

 

ସିଦ୍ଧ ସାଧୁ ଗୁରୁଜନେ

 

ପୂଜିବ ତାହାଙ୍କୁ ଯଥା ବିଧାନେ,

 

ହେ ତାତ ମାତ !

 

ଅନ୍ତର ନ କରି ମନେ

।୪୮।

 

 

 

 

ଅସାଧୁ ଜନର ସଙ୍ଗ

 

ବର୍ଜନ କରି ମଜ୍ଜିବ ସତ୍ସଙ୍ଗ,

 

ହେ ତାତ ମାତ !

 

ନ ଭାସ ମାୟାତରଙ୍ଗ

।୪୯।

 

 

 

 

ଅବଧୂତ ଯେ ଅତିଥି

 

ନମିବ ତାହାଙ୍କ ଚରଣ ପ୍ରାନ୍ତ,

 

ହେ ତାତ ମାତ !

 

ଚିତ୍ତେ ନ କରିଣ ଭ୍ରାନ୍ତ

।୫୦।

 

 

 

 

 

 

 

 

 

 

 

 

ପକ୍ୱାନ୍ନ ବ୍ୟଞ୍ଜନ ଧରି

 

ମୃତ୍ତିକା ଭାଣ୍ଡରେ ପୂରଣ କରି,

 

ହେ ତାତ ମାତ !

 

ମନେ କଳ୍ପନା ନ କରି

।୫୧।

 

 

 

 

ଭିକ୍ଷା ପ୍ରଦାନ କରିବ

 

ସାଧୁଏ ଗୃହୀର ଇଷ୍ଟ ବାନ୍ଧବ,

 

ହେ ତାତ ମାତ !

 

ଅତିଥି ଯତ୍ନେ ପୂଜିବ

।୫୨।

 

 

 

 

ଗୃହ କୁଟୁମ୍ୱ ଆବୋରି

 

କର୍ମ କରୁଥିବ ବ୍ରହ୍ମ ସୁମରି,

 

ହେ ତାତ ମାତ !

 

ଅନ୍ୟ ଭାବନା ନ କରି

।୫୩।

 

 

 

 

ଅଲେଖ ପରମବ୍ରହ୍ମେ

 

ଭକ୍ତି କରୁଥିବ ଅତି ଯତନେ,

 

ହେ ତାତ ମାତ !

 

ରହି ବିଷୟ-କାନନେ

।୫୪।

 

 

 

 

ଅଶୁଭ କାମ୍ୟକର୍ମରେ

 

ନ ଭୁଲିବ କେବେ କୁସଂସର୍ଗରେ,

 

ହେ ତାତ ମାତ !

 

କୁଆଶ ତେଜି ଦୂରରେ

।୫୫।

 

 

 

 

 

 

 

 

 

 

 

 

ଶୁଭ କର୍ମ ଆଚରିବ

 

ସତ ଶାସ୍ତ୍ର ଅଧ୍ୟୟନ କରିବ,

 

ହେ ତାତ ମାତ !

 

ସତ୍ସଙ୍ଗରେ ଦିନ ନେବ

।୫୬।

 

 

 

 

ଅନ୍ନ ବ୍ୟଞ୍ଜନ ଯାବତ

 

ପ୍ରଭୁଙ୍କୁ ସ୍ମରିଣ କରିବ ଭୁକ୍ତ,

 

ହେ ତାତ ମାତ !

 

ଭାଗ୍ୟରେ ଯାହା ପ୍ରାପତ

।୫୭।

 

 

 

 

ନିର୍ଲୋଭ ପର ଧନରେ

 

ସନ୍ତୋଷ ରହିବ ସ୍ୱଅର୍ଜିତରେ,

 

ହେ ତାତ ମାତ !

 

ପୂର୍ବ କର୍ମ ବିଚାରରେ

।୫୮।

 

 

 

 

କୁଶାସ୍ତ୍ର କୁଗ୍ରନ୍ଥମାନ

 

ଏହାକୁ କରିବ ନାହିଁ ପଠନ,

 

ହେ ତାତ ମାତ !

 

ତେଜିବ କୁତର୍କମାନ

।୫୯।

 

 

 

 

ନାସ୍ତିକ ପାଷାଣ୍ଡଜନେ

 

ସଙ୍ଗ ନ କରିବ ରହି ଯତନେ,

 

ହେ ତାତ ମାତ !

 

କେବଳ ବ୍ରହ୍ମ ଚିନ୍ତନେ

।୬୦।

 

 

 

 

 

 

 

 

 

 

 

 

ଜଡ଼ ପ୍ରତିମା ସାକାର

 

ଆରାଧନା ତ୍ୟାଗ କର ତାହାର,

 

ହେ ତାତ ମାତ !

 

ଚେତନ ନିଜ ଶରୀର

।୬୧।

 

 

 

 

ଏକବ୍ରହ୍ମ ସର୍ବଭୂତେ

 

ବିରାଜିତ ରହିଛନ୍ତି ଜଗତେ,

 

ହେ ତାତ ମାତ !

 

ଭ୍ରମ ନୁହ କଦାଚିତେ

।୬୨।

 

 

 

 

ସ୍ୱଦେହେ ଜ୍ଞାନ ହରାଇ

 

ଅଚେତନରେ କି ସୁଚେତା ପାଇ,

 

ହେ ତାତ ମାତ !

 

ବୃଥାରେ ଭ୍ରମ କିମ୍ପାଇ

।୬୩।

 

 

 

 

ବିଚାର କର ମନରେ

 

କାହୁଁ ଜନ୍ମିଅଛ କିଏ କାହାରେ

 

ହେ ତାତ ମାତ !

 

କର୍ତ୍ତା ବା କିଏ ସଂସାରେ ?

।୬୪।

 

 

 

 

ଆତ୍ମାଜ୍ଞାନ ଅନୁସର

 

ବିବେକ ବୁଦ୍ଧିରେ କର ବିଚାର,

 

ହେ ତାତ ମାତ !

 

ସ୍ୱଦେହର ବ୍ରହ୍ମ ସାର

।୬୫।

 

 

 

 

 

 

 

 

 

 

 

 

ବ୍ରହ୍ମକୁ ଚିହ୍ନି ନ ପାରି

 

ଅଜ୍ଞାନୀ ସାକାର ପୂଜେ ଆବୋରି,

 

ହେ ତାତ ମାତ !

 

ଭୁଞ୍ଜିବାକୁ ସ୍ୱର୍ଗ ଶିରୀ

।୬୬।

 

 

 

 

ଆତ୍ମାଜ୍ଞାନକୁ ପାଶୋରି

 

ବ୍ରହ୍ମନିଷ୍ଠ ସାଧୁ ସଙ୍ଗ ନ କରି,

 

ହେ ତାତ ମାତ !

 

କାହୁଁ ହେବ ଭବୁ ପାରି

।୬୭।

 

 

 

 

ତ୍ରିଗୁଣରୁ ଆତଯାତ

 

ଦେବାସୁର ନର ନାଗ ସହିତ,

 

ହେ ତାତ ମାତ !

 

କାଳେ ସର୍ବେ ହ୍ୱନ୍ତି ହତ

।୬୮।

 

 

 

 

ନ ବୁଝି ଅଜ୍ଞାନିଜନେ

 

ସାକାରକୁ ପୂଜୁଥାନ୍ତି ଯତନେ,

 

ହେ ତାତ ମାତ !

 

ଐଶ୍ୱର୍ଯ୍ୟ ଗରବପଣେ

।୬୯।

 

 

 

 

ନିର୍ଗୁଣ ପରମବ୍ରହ୍ମ

 

ଅଟନ୍ତି ସେ ଜୀବ ମୋକ୍ଷ କାରଣ,

 

ହେ ତାତ ମାତ !

 

ଛେଦନ୍ତି ମାୟା ବନ୍ଧନ

।୭୦।

 

 

 

 

 

 

 

 

 

 

 

 

ଏକବ୍ରହ୍ମେ ଭକ୍ତି କର

 

ଏକ ପ୍ରଭୁ ବିନୁ ନାହିଁ ନା ସାର,

 

ହେ ତାତ ମାତ !

 

ନିଶ୍ଚେ ହୋଇବ ଉଦ୍ଧାର

।୭୧।

 

 

 

 

ଅନ୍ୟ ଦେବଦେବୀ ଯେତେ

 

ବ୍ରହ୍ମା ବିଷ୍ଣୁ ରୁଦ୍ର ଆଦି ସହିତେ,

 

ହେ ତାତ ମାତ !

 

କଳ୍ପିତ ଏହୁ ଜଗତେ

।୭୨।

 

 

 

 

ତାହାଙ୍କ ନାମ ସ୍ମରଣ

 

ନ କରି ତାହାଙ୍କୁ କଦାଚ ମାନ୍ୟ,

 

ହେ ତାତ ମାତ !

 

କଲେ ମୂର୍ଖ ସଙ୍ଗେ ଗଣ୍ୟ

।୭୩।

 

 

 

 

ନ ଭଜି ସେହୁ ଦେବଙ୍କୁ

 

ଅର୍ଚ୍ଚନା କରିବ ନାହିଁ ତାହାଙ୍କୁ,

 

ହେ ତାତ ମାତ !

 

ଭାବିବ ପରଂବ୍ରହ୍ମଙ୍କୁ

।୭୪।

 

 

 

 

ଦେବ ନିର୍ମାଲ୍ୟାଦି ଯେତେ

 

ପତ୍ର ପୁଷ୍ପ ଫଳ ଆଦି ସହିତେ

 

ହେ ତାତ ମାତ !

 

ନ ଭୁଞ୍ଜିବ କଦାଚିତ

।୭୫।

 

 

 

 

 

 

 

 

 

 

 

 

ତୁଳସାଦି ବୃକ୍ଷମାନ

 

ନ ପୂଜିବ କେଭେ ଭ୍ରମ ହୋଇଣ,

 

ହେ ତାତ ମାତ !

 

ନ କରି ପତ୍ର ଗ୍ରହଣ

।୭୬।

 

 

 

 

ଭୂତ ପ୍ରେତାଦିମାନଙ୍କୁ

 

ଅରାଧନା ନ କରିବ ତାହାଙ୍କୁ,

 

ହେ ତାତ ମାତ !

 

ନିବାରିଥିବ ଦୂରକୁ

।୭୭।

 

 

 

 

ତୀର୍ଥ ବ୍ରତ ଉପବାସ

 

ତାମସିକ କ୍ରିୟା କର୍ମ ବିଶେଷ,

 

ହେ ତାତ ମାତ !

 

କେଭେ ନୋହିବ ତା ବଶ

।୭୮।

 

 

 

 

ଶୈବ ଶାକ୍ତ ଦୀକ୍ଷା ଯେତେ

 

ବଶୀକରଣାଦି ବିଦ୍ୟା ସହିତେ,

 

ହେ ତାତ ମାତ !

 

ତ୍ୟାଗ କରିବ ତ୍ୱରିତେ

।୭୯।

 

 

 

 

ତାନ୍ତ୍ରିକ କାମାକ୍ଷୀ ମନ୍ତ୍ର

 

ତହିଁର ଯେତେକ ବସାଣ ଯନ୍ତ୍ର

 

ହେ ତାତ ମାତ !

 

କେଭେଁ ନୁହେ ସେ ସ୍ୱତନ୍ତ୍ର

।୮୦।

 

 

 

 

 

 

 

 

 

 

 

 

ତ୍ରିଗୁଣେ ଦୃଶ୍ୟ ଜଡ଼ିତ

 

ସ୍ତମ୍ଭଠାରୁ ଆବ୍ରହ୍ମପରିଯନ୍ତ

 

ହେ ତାତ ମାତ !

 

କାଳେ ହୋନ୍ତି କବଳିତ

।୮୧।

 

 

 

 

ଛାୟା ଜ୍ୟୋତି ରୂପ ଯେତେ

 

ବିରାଟ ଆଦି ଅବାଡ଼ ସହିତେ,

 

ହେ ତାତ ମାତ !

 

ମାୟାରୁ ଜାତ ସମସ୍ତେ

।୮୨।

 

 

 

 

ସର୍ବେ ଅଟନ୍ତି ଅନିତ୍ୟ

 

କେବଳ ପରଂବ୍ରହ୍ମ ମାତ୍ର ସତ୍ୟ,

 

ହେ ତାତ ମାତ !

 

ତାଙ୍କରି ହୁଅ ଆଶ୍ରିତ

।୮୩।

 

 

 

 

ସତ୍ସଙ୍ଗେ ବଞ୍ଚିବ ଦିନ

 

ସାତ୍ୱିକଭାବେ ଆହାର କରିଣ,

 

ହେ ତାତ ମାତ !

 

ବର୍ଜି ନିଷିଦ୍ଧ ଭୋଜନ

।୮୪।

 

 

 

 

ପ୍ରବେଶିଲେ ଚନ୍ଦ୍ର ଘର

 

ନ ଭୁଞ୍ଜିବ ଚତୁର୍ବିଧ ଆହାର,

 

ହେ ତାତ ମାତ !

 

ନିଷିଦ୍ଧ ଅଟେ ନିଶିର

।୮୫।

 

 

 

 

 

 

 

 

 

 

 

 

ରବି ଗଲେ ଅସ୍ତାଚଳ

 

ହେବ ସାୟଂ ବ୍ରାହ୍ମମୁହୂର୍ତ୍ତକାଳ,

 

ହେ ତାତ ମାତ !

 

ତେଜିବ କର୍ମ ସକଳ

।୮୬।

 

 

 

 

ଶୌଚ ହୋଇ ବିଧିମତେ

 

ଉଭା ହେବ ଗୁରୁ ଆଜ୍ଞାନୁମତେ,

 

ହେ ତାତ ମାତ !

 

ବିଭୁ ଦର୍ଶନ ନିମନ୍ତେ

।୮୭।

 

 

 

 

ପଶ୍ଚିମାଭିମୁଖ ହୋଇ

 

ମୁଖେ ନାନା ସ୍ତୁତି ଶବଦ ଖାଇ,

 

ହେ ତାତ ମାତ !

 

ସାଷ୍ଟାଙ୍ଗେ ପ୍ରଣାମ ଯାଇ

।୮୮।

 

 

 

 

କାୟମନର ବାକ୍ୟରେ

 

ଶରଣ ମାଗିବ ପୂର୍ବ ବିଧିରେ,

 

ହେ ତାତ ମାତ !

 

ଅଲେଖ ବ୍ରହ୍ମ ନାମରେ

।୮୯।

 

 

 

 

ପଞ୍ଚବାର ସାଷ୍ଟାଙ୍ଗରେ

 

ଦର୍ଶନ କରିବ ସାୟଂକାଳରେ,

 

ହେ ତାତ ମାତ !

 

ଗୁରୁ ଆଜ୍ଞା ନିୟମରେ

।୯୦।

 

 

 

 

 

 

 

 

 

 

 

 

ବ୍ରହ୍ମ ଉପାସନା କରି

 

ବ୍ରହ୍ମ ମହିମା ଗାଇବ ଉଚ୍ଚାରି,

 

ହେ ତାତ ମାତ !

 

ନିଶି ଏକଯାମ ଧରି

।୯୧।

 

 

 

 

ତହୁଁ କରିବ ସ୍ମରଣ

 

ଏକାନ୍ତେ ପରଂବ୍ରହ୍ମଙ୍କୁ ଚିନ୍ତିଣ,

 

ହେ ତାତ ମାତ !

 

ବେଦାନ୍ତ କରି ପଠନ

।୯୨।

 

 

 

 

ନିଦ୍ରା ହେଲେ ଉପଗତ

 

ସୁପ୍ତ ଶଯ୍ୟାରେ ଯେ ଯିବ ନିନ୍ଦ୍ରିତ,

 

ହେ ତାତ ମାତ !

 

ଉଠିବ ପ୍ରାତୁଃ ତ୍ୱରିତ

।୯୩।

 

 

 

 

ପ୍ରାତଃ ଯେ ସାୟଂ ସନ୍ଧ୍ୟାରେ

 

ବ୍ରହ୍ମ ଦର୍ଶନ କରିବ ସଧୀରେ,

 

ହେ ତାତ ମାତ !

 

ନିତ୍ୟ ବ୍ରାହ୍ମ ମୁହୂର୍ତ୍ତରେ

।୯୪।

 

 

 

 

ସତ୍ୟ ଧର୍ମ ଗଲେ ଦେଇଁ

 

ବୁଦ୍ଧଗୁରୁ ସେ ମହିମା ଗୋସାଇଁ,

 

ହେ ତାତ ମାତ !

 

ଭକ୍ତଙ୍କୁ ତାରିବାପାଇଁ

।୯୫।

 

 

 

 

 

 

 

 

 

 

 

 

ସେହି ସତ୍ୟଧର୍ମ ଧର

 

ବେଦଶାସ୍ତ୍ର ମଧ୍ୟେ ଅଟଇ ସାର,

 

ହେ ତାତ ମାତ !

 

ବ୍ରହ୍ମ ଉପାସନା କର

।୯୬।

 

 

 

 

ବାଲ୍ୟ ଯୁବା ନର ନାରୀ

 

ଯେ ଭଜିବ ଗୁରୁ ନାମକୁ ସ୍ମରି,

 

ହେ ତାତ ମାତ !

 

ମାୟାରୁ ହୋଇବ ପାରି

।୯୭।

 

 

 

 

ନିର୍ଗୁଣ ପରମ ବ୍ରହ୍ମେ

 

ପ୍ରବେଶିବ ଭାବୁଥିଲେ ଯତନେ,

 

ହେ ତାତ ମାତ !

 

ସଂଶୟ ନ ଥିବ ମନେ

।୯୮।

 

 

 

 

ଏହି ସତ୍ୟ ବାକ୍ୟ ଘେନ

 

ଯେବା ଅଛ ଯତି ସତୀ ସୁଜନ,

 

ହେ ତାତ ମାତ !

 

ନିଶ୍ଚୟ ହେବ କାରଣ

।୯୯।

 

 

 

 

ସଂକ୍ଷିପ୍ତରେ ସତ୍ୟଧର୍ମ

 

ତାତମାତ-ଗୀତି ହୋଇଲା ପୂର୍ଣ୍ଣ,

 

ହେ ତାତ ମାତ !

 

ସ୍ମରୁଛି ବ୍ରହ୍ମ ଅବର୍ଣ୍ଣ

୧୦୦।